ବିଜେଡିରେ ମିଶିଲେ ରେଂଗାଲିର ବହୁ ବିଜେପି ଓ କଂଗ୍ରେସ କର୍ମୀ

ସମ୍ବଲପୁର : ବୁଧବାର ଦିନ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ରେଂଗାଲି ବିଧାନସଭା କ୍ଷେତ୍ରର ବହୁ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜକୁମାରୀ ଓରାମଙ୍କ ସହିତ ବର୍ତ୍ତମାନର ୪ ଜଣ ସମିତି ସଭ୍ୟ, ୨ ଜଣ ସରପଞ୍ଚ, ୧୧ ଜଣ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଅନ୍ୟ ଦଳର ଶତାଧିକ ରାଜନୈତିକ କର୍ମୀ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।

ବିଜେଡି ଜିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଯୋଗଦେଇ ଆଗାମୀ ଦିନରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ବିଜେଡି ଆହୁରି ସୁଦୃଢ଼ ହେବ ବୋଲି କହିବା ସହିତ ଆଗାମୀ ନିର୍ବାଚନରେ ଏଠାକାର ସମସ୍ତ ବିଧାନସଭା ‌କ୍ଷେତ୍ରରେ ବିଜେଡି ଜିତିବ ବୋଲି କହିଥିଲେ। ବିଜେଡିର ରାଜ୍ୟ ପର୍ଯ୍ୟବେକ୍ଷକ ଇଂ. ନଳିନୀକାନ୍ତ ପ୍ରଧାନ କହିଲେ, ଅନ୍ୟ ଦଳର କର୍ମୀଙ୍କ ଯୋଗଦାନ ପରେ ବିଜେଡି ଆହୁରି ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ପାଇଁ କାମ କରିବା ଏବଂ ରାଜ୍ୟ ସରକାରଙ୍କ ସବୁ କଲ୍ୟାଣକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚାଇବାକୁ ଆହ୍ବାନ ଦେଇଥିଲେ। ରେଂଗାଲି ପଂଚାୟତ ସମିତି ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲ, ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ପତି, ସନ୍ଦୀପ ପଟ୍ଟନାୟକ, ସୁନୀଲ ମିଶ୍ର, ମୋତିଲାଲ ତନ୍ତୀ, ରଜନୀ ସାହୁ, ‌ଅଶୋକ ଗୁରୁ, ଶାନ୍ତନୁ ହୋତା ପ୍ରମୁଖ ମଂଚାସୀନ ଥିଲେ।

ସମ୍ବନ୍ଧିତ ଖବର